ଶିଷ୍ୟ/ଶିଷ୍ୟା ଓ ଭଗବତପ୍ରେମୀଙ୍କୁ

ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା


ସଦ୍‍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ
ନବବର୍ଷର ଶୁଭେଚ୍ଛା


                                   

ପ୍ରିୟ ଶିଷ୍ୟ/ଶିଷ୍ୟା ଓ ଭଗବତ୍ ପ୍ରେମୀଗଣ, ନୂଆବର୍ଷରେ ମୋର ଶୁଭ ଆଶୀର୍ବାଦ ଗ୍ରହଣ କରିବ। ନୂଆବର୍ଷରେ ନୂଆ ପ୍ରେରଣା ଓ ଉତ୍ସାହ ନେଇ ଲୋକଙ୍କର ଏବଂ ନିଜର ଆତ୍ମୋନ୍ନତିରେ ଲାଗିପଡିବ । ଏହା ନିଜର ଧର୍ମ ଓ କର୍ତ୍ତବ୍ୟ ବୋଲି ବୁଝିବ । ଏହି ମନୋଭାବକୁ ପୋଷଣ କରି ଚଳିବା ହେଉଛି ତୁମର ତପସ୍ୟା ଓ ସାଧନା ।


ସାଧନାରେ ପ୍ରବୃତ୍ତ ହୋଇ ଆଗେଇଲେ କେତେ କଣ ବିପଦ ଆସେ । ନିରୁତ୍ସାହ ହେବ ନାହିଁ କି ଦବିଯିବ ନାହିଁ । ବିପଦ ଆପଦ ପ୍ରତ୍ୟେକଙ୍କ ଶକ୍ତିକୁ ଦୃଢ଼ ଏବଂ ବଦ୍ଧିତ କରାଏ । ଆଉ ମଧ୍ୟ ଜାଣିବା ଉଚିତ୍ ଯେ, ଯେ ଯେତେ ଦୁଃଖ ପାଇଛି, ସେ ସେତେ ଭଗବାନଙ୍କର ଆଶୀର୍ବାଦର ପାତ୍ର ହୋଇଛି । ଜାଣ ! ଭଗବତପ୍ରେମୀଙ୍କ ଅଳଙ୍କାର ହେଉଛି ଦୁଃଖ ଓ କଷ୍ଟ । ଯେ ଯେତେ ଦୁଃଖ ପାଇଛି, ସେ ସେତେ ଅଳଙ୍କାର ଧାରଣ କରି ସୁନ୍ଦର ହୋଇଛି ।


ଆଗେଇ ଯିବ । ପଛଘୁଞ୍ଚା ଦେବନାହିଁ । ଗୁରୁ ପାଖେ ପାଖେ ରହିଛନ୍ତି ଏବଂ ତୁମର କାର୍ଯ୍ୟ ଓ ସାହସିକତାକୁ ଲକ୍ଷ୍ୟ କରୁଛନ୍ତି । ଦିବ୍ୟଦର୍ଶନ ହେଉଛି ଈଶ୍ଵରଙ୍କର ପ୍ରକାଶ, ନିୟମ ଏବଂ ଇଚ୍ଛା ବୋଲି ବୁଝିବାକୁ ହେବ । ଯେ ଏହି ନିୟମକୁ କାର୍ଯ୍ୟକାରୀ କରେ, ସେ ଈଶ୍ଵରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରୁଛି । ଯେ ଯେତେ ଏହି ନିୟମରେ ଚାଲିବ, ସେ ସେତେ କର୍ତବ୍ୟବାନ, ଧାର୍ମିକ ଓ ପୁଣ୍ୟବାନ । ସେହି ପୁଣ୍ୟ ବଳରେ ନିଜର ସ୍ଵରୂପକୁ ସେ ପାଇବ ହିଁ ପାଇବ । ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଏହି ଜୀବନରେ ଏହା ହେବ କି ନାହିଁ ଏହା ଭାବ ନାହିଁ । ଦିନ, ରାତି ହେଉଛି ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ବୋଲି ବିଚାରିବ। ଯେ ଯେତେ ଆଗେଇବ ସେ ସେତେ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ ବୋଲି ବୁଝିବାକୁ ହେବ । ଆମେ ନିଶ୍ଚୟ ଆଗଉଛୁ ଏହି ବିଚାର ରଖିବ । ଧନ, ସମ୍ପଦ, ମାନ, ଯଶ ସମସ୍ତ ଭୋଗ କ୍ଷଣସ୍ଥାୟୀ । ଆତ୍ମ ସାକ୍ଷାତକାର ଉଦ୍ଦେଶ୍ୟରେ ଯାହା ସବୁ କରାଯାଏ ତାହା ସ୍ଥାୟୀ, କଲ୍ୟାଣପ୍ରଦ ଓ ଅମୃତ । କାରଣ ଏଥିରେ ରହିଛି ବଞ୍ଚିବାର ବିଷୟବସ୍ତୁ, ସମାଜରେ ଶାନ୍ତିରେ ରହିବାର ବିଷୟବସ୍ତୁ ଏବଂ ଆତ୍ମ ସାକ୍ଷାତକାରର ସମସ୍ତ ବିଷୟବସ୍ତୁ । ଦିବ୍ୟଦର୍ଶନର ସମସ୍ତ ଭଗବତ ପ୍ରେମୀଙ୍କୁ ନୂଆବର୍ଷରେ ମୋର ହାର୍ଦିକ ଶୁଭେଚ୍ଛା ଜଣାଇ ଦେବ ଏବଂ ଏହାର ପ୍ରତିଷ୍ଠା ଦିଗରେ ସବୁ ଲାଗିପଡିବ ।


ଆଶ୍ରମ ହେଉଛି ଆତ୍ମମନ୍ଦିର, ଜ୍ଞାନମନ୍ଦିର ତଥା ଦିବ୍ୟମନ୍ଦିର I